ଓଡ଼ିଶାମୁଖ୍ୟ ଖବର

ମେ’ ୧ରୁ ଆରମ୍ଭ ରବି ଧାନ କ୍ରୟ, ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ବର: ରାଜ୍ୟରେ ରବି ଧାନ କ୍ରୟ ପାଇଁ ସରକାର ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ମେ’ ୧ ତାରିଖରୁ ଚାଷୀମାନଙ୍କ ପାଖରୁ ଧାନ କିଣା ଆରମ୍ଭ ହେବ ଏବଂ ଏହା ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଲିବ।

ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ଏନେଇ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ଖୋରଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରବି ଧାନ ବିକ୍ରି ପାଇଁ ଚାଷୀମାନେ ମାର୍ଚ୍ଚ ୧୦ରୁ ୨୫ ତାରିଖ ମଧ୍ୟରେ ପଞ୍ଜୀକରଣ କରିଥିବା ବେଳେ, ସରକାର ପକ୍ଷରୁ ମଣ୍ଡିଗୁଡିକରେ ସୁବିଧା ବୃଦ୍ଧି ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚାଷୀମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ମଣ୍ଡିରେ ବ୍ୟବସ୍ଥା କରାଯିବ।

ଏହାସହ ଜୁନ୍‌ ୧୫ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବା ସମ୍ଭାବନା ଥିବାରୁ, ବର୍ଷା ସମୟରେ ଧାନକୁ ସୁରକ୍ଷିତ ରଖିବା ପାଇଁ ମଣ୍ଡିରେ ପଲିଥିନ ଜରି ବ୍ୟବସ୍ଥା ରହିବ।

ପଡ଼ୋଶୀ ରାଜ୍ୟରୁ ଅବୈଧ ଧାନ ପ୍ରବେଶକୁ ରୋକିବା ପାଇଁ ସୀମା ଅଞ୍ଚଳଗୁଡିକୁ କଡ଼ା ନିରୀକ୍ଷଣ ସହିତ ସିଲ୍‌ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଚାଷୀମାନେ ଯଥୋଚିତ ଦର ପାଇବେ ବୋଲି ଆଶା କରାଯାଉଛି।

Show More

Related Articles

Back to top button