ମୁଖ୍ୟ ଖବରରାଜନୀତି

ଏଣିକି ଘରେଘରେ ପାଇପ୍‌ରେ ରନ୍ଧନ ଗ୍ୟାସ୍‌

କ୍ୟାବିନେଟରେ ଓଡ଼ିଶା ସିଟି ଗ୍ୟାସ୍‌ ନୀତିକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟରେ ଏଣିକି ଘରେଘରେ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ (PNG) ପହଞ୍ଚିବାକୁ ପଥ ପ୍ରସ୍ତୁତ ହୋଇଛି। ଆଉ ଏଲପିଜି ସିଲିଣ୍ଡର ପାଇଁ ଘଣ୍ଟା ଘଣ୍ଟା ଲାଇନରେ ଠିଆ ହେବାକୁ ପଡିବ ନାହିଁ। ଏହା ପାଇଁ ରାଜ୍ୟ ସରକାର “ଓଡ଼ିଶା ସିଟି ଗ୍ୟାସ୍‌ ବିତରଣ (CGD) ନୀତି”କୁ ମଞ୍ଜୁରୀ ଦେଇଛନ୍ତି।

ଗତ ବୁଧବାର ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନୀତି ସହିତ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଶିଳ୍ପ, ଆଇଟି, ନଗର ଉନ୍ନୟନ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବମାନଙ୍କୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ନୂତନ CGD ନୀତି ଅନୁସାରେ ସାରା ରାଜ୍ୟରେ ପାଇପ୍‌ଡ୍ ନାଚୁରାଲ ଗ୍ୟାସ୍‌ (PNG) ଓ କମ୍ପ୍ରେସଡ୍ ନାଚୁରାଲ ଗ୍ୟାସ୍‌ (CNG) ଭିତ୍ତିଭୂମିର ବ୍ୟାପକ ବିକାଶ ହେବ। ଏହା ଦ୍ୱାରା ସ୍ବଚ୍ଛ ଇନ୍ଧନ ବ୍ୟବହାର ବଢ଼ିବା ସହ ପରିବେଶ ସୁରକ୍ଷାକୁ ମଧ୍ୟ ଶକ୍ତିଶାଳୀ କରିବ। ପୂର୍ବରୁ ବିଭିନ୍ନ ବିଭାଗରୁ ଅନୁମତି ନେବାରେ ବିଳମ୍ବ ହେଉଥିବାରୁ ପ୍ରକଳ୍ପଗୁଡିକ ଅଟକି ଯାଉଥିଲା, କିନ୍ତୁ ଏବେ ସମନ୍ୱିତ ନୀତି ଥିବାରୁ ପ୍ରକ୍ରିୟା ସରଳ ହେବ ଓ ଶୀଘ୍ର କାର୍ଯ୍ୟନ୍ବୟନ ସମ୍ଭବ ହେବ।

ସରକାରଙ୍କ କଥା ଅନୁଯାୟୀ, ଏହି ନୀତି ଦ୍ୱାରା ରାଜ୍ୟ ରାଜକୋଷ ଉପରେ କୌଣସି ଅତିରିକ୍ତ ଭାର ପଡ଼ିବ ନାହିଁ। ବରଂ ଘରୋଇ ପୁଞ୍ଜିନିବେଶ ଆକୃଷ୍ଟ ହେବା ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବ୍ୟବସାୟିକ ସହଜତା ବଢ଼ିବା ସହ ଶିଳ୍ପ ଖାତାରେ ମଧ୍ୟ ଗତି ଆସିବ।

ଏହାସହ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଅନୁମୋଦନ ଶୁଳ୍କରେ ରିଆତି ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି, ଯାହା ନିବେଶକମାନଙ୍କୁ ଆହୁରି ଉତ୍ସାହିତ କରିବ। ସମଗ୍ର ଭାବେ, ଏହି ନୂତନ ଗ୍ୟାସ୍‌ ନୀତି ରାଜ୍ୟର ଶକ୍ତି ଓ ନଗର ଭିତ୍ତିଭୂମିରେ ବଡ଼ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି।

Show More

Related Articles

Back to top button