
ନୂଆଦିଲ୍ଲୀ: ପିଆଜ ଦରରେ ଲଗାମ ଦେବାକୁ କେନ୍ଦ୍ର ସରକାର ଗୁରୁବାରଠାରୁ ଦିଲ୍ଲୀରେ କିଲୋପିଛା ₹୩୫ ଦରରେ ପିଆଜ ବିକ୍ରି କରିବେ। ବର୍ତ୍ତମାନ ଦିଲ୍ଲୀ ବଜାରରେ ପିଆଜ ଦର ₹୫୫ରୁ ₹୬୦ ପ୍ରତି କିଲୋ ରହିଛି। ୨୦୨୬ ପାଇଁ ସଂରକ୍ଷିତ ୧.୨୧ ଲକ୍ଷ ଟନ୍ର ବଫର ଷ୍ଟକ୍ରୁ ପିଆଜ ବଜାରକୁ ଛଡ଼ାଯିବ। ନାଫେଡ୍, ଏନ୍ସିସିଏଫ୍ ଓ କେନ୍ଦ୍ରୀୟ ଭଣ୍ଡାର ମାଧ୍ୟମରେ ଏହାର ବିକ୍ରି କରାଯିବ। ଏନ୍ସିସିଏଫ୍ ଦିଲ୍ଲୀର ୧୦୦ଟି କେନ୍ଦ୍ରୀୟ ଭଣ୍ଡାର ଷ୍ଟୋର୍ରେ ପିଆଜ ବିକ୍ରି କରିବା ସହ ଦିଲ୍ଲୀ-ଏନ୍ସିଆର୍ର ମଦର ଡେୟାରୀ ଆଉଟ୍ଲେଟ୍ରେ ମଧ୍ୟ ବିକ୍ରି ବଢ଼ାଇବ। ନାଶିକରୁ ୪୦୦ ଟନ୍ ପିଆଜ ‘କନ୍ଦା ଏକ୍ସପ୍ରେସ୍’ ଯୋଗେ ଦିଲ୍ଲୀ ପଠାଯାଉଛି। ଦିଲ୍ଲୀ ବ୍ୟତୀତ ଚେନ୍ନାଇ, ଏର୍ଣ୍ଣାକୁଲମ୍, ମଦୁରାଇ ଓ ଗୁଆହାଟୀକୁ ମଧ୍ୟ ସ୍ୱତନ୍ତ୍ର ମାଲବାହୀ ଟ୍ରେନ୍ରେ ପିଆଜ ପଠାଯାଉଛି। ଆଗାମୀ ଦିନରେ ଭୁବନେଶ୍ୱର ସମେତ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମଦାବାଦ ଓ ରାୟପୁରରେ ମଧ୍ୟ ସରକାରୀ ହସ୍ତକ୍ଷେପରେ ପିଆଜ ବିକ୍ରି କରାଯିବ। ସରକାରଙ୍କ ପଦକ୍ଷେପ ପରେ ମହାରାଷ୍ଟ୍ରର ନାଶିକ ଓ ଲାସଲଗାଓଁ ଥୋକ ବଜାରରେ ପିଆଜ ଦର କମିବା ଆରମ୍ଭ ହୋଇଛି। ତଥ୍ୟ ଅନୁସାରେ, ଜୁଲାଇ ୨୫ରେ ଦେଶରେ ପିଆଜର ହାରାହାରି ଖୁଚୁରା ଦର ₹୩୪.୮୦ ଥିବାବେଳେ ଅଗଷ୍ଟ ୨୫ରେ ଏହା ₹୪୪.୭୨ରେ ପହଞ୍ଚିଛି। ଅର୍ଥାତ୍ ମାସକ ମଧ୍ୟରେ ଦର ୨୮ ପ୍ରତିଶତରୁ ଅଧିକ ବଢ଼ିଥିବା ବେଳେ ଗତବର୍ଷ ତୁଳନାରେ ପିଆଜ ପ୍ରାୟ ୫୬ ପ୍ରତିଶତ ମହଙ୍ଗା ହୋଇଛି।



