କଟକରେ ଚାନ୍ଦା ନାଁରେ ବଟି ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ
ପୁଲିସର କଡ଼ା ଚେତାବନୀ

କଟକ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚାନ୍ଦା ଆଦାୟ ଉପରେ କଡ଼ା ନଜର ରଖିଛି କଟକ ପୁଲିସ। ପୂଜା ପାଇଁ ଚାନ୍ଦା ସଂଗ୍ରହ ନାଁରେ କାହାକୁ ଜୋରଜବରଦସ୍ତି କରିବା କିମ୍ବା ଧମକ ଦେଇ ଟଙ୍କା ଆଦାୟ କରିବାକୁ ଅନୁମତି ମିଳିବ ନାହିଁ। ଏପରି କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି।
ବିଶେଷକରି ପୂଜା ଆୟୋଜନ ନାଁରେ ବ୍ୟବସାୟୀ, ଦୋକାନୀ କିମ୍ବା ସାଧାରଣ ଲୋକଙ୍କ ଉପରେ ଚାନ୍ଦା ପାଇଁ ଚାପ ସୃଷ୍ଟି କରାଯାଇପାରିବ ନାହିଁ। କେହି ଏଭଳି ଭାବେ ହଇରାଣ କଲେ ଭୟ ନକରି ତୁରନ୍ତ ପୁଲିସର ଜରୁରୀକାଳୀନ ନମ୍ବର ୧୧୨ରେ ଜଣାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।
ପାର୍ବଣ ସମୟରେ ଚାନ୍ଦା ଆଦାୟକୁ ନେଇ ଯେପରି କୌଣସି ବିଶୃଙ୍ଖଳା ନ ଘଟେ, ସେଥିପାଇଁ ପୁଲିସ ପୂର୍ବରୁ ପୂଜା କମିଟି ଓ ମଣ୍ଡପଗୁଡ଼ିକୁ ସତର୍କ କରିଛି। ନିୟମ ମାନି ପୂଜା ଆୟୋଜନ କରିବା ସହ ଚାନ୍ଦା ସଂଗ୍ରହ ସମୟରେ ସାଧାରଣ ଲୋକଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଚାନ୍ଦା ଆଦାୟ ଆଳରେ ବଳପୂର୍ବକ ଟଙ୍କା ନେବାକୁ ବଟି ଆଦାୟ ଭାବେ ଗ୍ରହଣ କରାଯିବ ଏବଂ ଅଭିଯୋଗ ମିଳିଲେ ପୁଲିସ ତୁରନ୍ତ ଆଇନ ଅନୁଯାୟୀ ପଦକ୍ଷେପ ନେବ ବୋଲି କଟକ ଡିସିପି ସ୍ପଷ୍ଟ କରିଛନ୍ତି।



