ଗୁଜରାଟରେ ‘କବଚ’ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା ଲାଗୁ

ଅହମଦାବାଦ: ରେଳ ସୁରକ୍ଷା ଓ ଯାତାୟାତ କ୍ଷମତା ବଢ଼ାଇବା ଦିଗରେ ଗୁଜରାଟରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମଦାବାଦ-ପାଲନପୁର ଓ ଅହମଦାବାଦ-ସମାଖିଆଲି ରେଳପଥରେ ସ୍ୱଦେଶୀ ‘କବଚ’ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହାସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ସ୍ୱୟଂଚାଳିତ ସିଗନାଲିଂ ଏବଂ ସାବରମତୀ-ସରଖେଜ୍ ରେଳପଥର ଦୋହରୀକରଣ କାମ ମଧ୍ୟ ଆରମ୍ଭ ହୋଇଛି।
ଅହମଦାବାଦ ଡିଭିଜନର ୪୦୪ କିମି ରେଳପଥରେ ପ୍ରାୟ ୪୧୧ କୋଟି ଟଙ୍କା ବ୍ୟୟରେ ‘କବଚ’ ବ୍ୟବସ୍ଥା ଲାଗୁ କରାଯାଉଛି। ଏଥିରେ ଅହମଦାବାଦ-ପାଲନପୁରର ୧୫୭ କିମି ଏବଂ ଅହମଦାବାଦ-ସମାଖିଆଲିର ୨୪୭ କିମି ରେଳପଥ ସାମିଲ। ଟ୍ରେନ୍ ନିର୍ଦ୍ଧାରିତ ବେଗ ସୀମା ଅତିକ୍ରମ କଲେ ସତର୍କ କରିବା ସହ ଦୁର୍ଘଟଣା ଆଶଙ୍କା କମାଇବାରେ ‘କବଚ’ ସହାୟକ ହେବ।
ସେହିପରି ସାବରମତୀ-ସାନନ୍ଦ-ଜଖୱାଡା ଓ ସାବରମତୀ-କାଲୋଲ-ଭାଣ୍ଡୁ ମୋତିଦାଉ ରୁଟ୍ରେ ୧୨୨.୫୭ କିମି ପାଇଁ ସ୍ୱୟଂଚାଳିତ ବ୍ଲକ୍ ସିଗନାଲିଂ ଆରମ୍ଭ ହୋଇଛି। ଏଥିପାଇଁ ପ୍ରାୟ ୧୧୮.୮୩ କୋଟି ଟଙ୍କା ବ୍ୟୟ ହେବ।
ଏହାସହ ୩୧୩.୨୭ କୋଟି ଟଙ୍କା ବ୍ୟୟରେ ୨୧ କିମି ଲମ୍ବା ସାବରମତୀ-ସରଖେଜ୍ ରେଳପଥର ଦୋହରୀକରଣ କାମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ମାର୍ଚ୍ଚ ୨୦୨୮ ସୁଦ୍ଧା ଶେଷ କରିବା ଲକ୍ଷ୍ୟ ରହିଛି। ଏହା ଦ୍ୱାରା ଯାତ୍ରୀ ଓ ମାଲବାହୀ ଟ୍ରେନ୍ ଚଳାଚଳ କ୍ଷମତା ବଢ଼ିବା ସହ ଟ୍ରେନ୍ ବିଳମ୍ବ ଓ ଯାତାୟାତଜନିତ ସମସ୍ୟା କମିବ ବୋଲି ଆଶା କରାଯାଉଛି।



