
ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣାରେ ପୁଲିସ୍ ତଦନ୍ତକୁ ଜୋରଦାର କରିଛି। ପୂର୍ବରୁ ୧୧ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଭାଇରାଲ ଭିଡିଓକୁ ଆଧାର କରି ବଣ୍ଟି ନାମକ ଯୁବକଙ୍କୁ ଧରାଯାଇଥିବା ସୂଚନା ମିଳିଛି। ପରେ ତାଙ୍କୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।
ଘଟଣାକୁ ନେଇ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତନାଘନା ଜାରି ରହିଛି। ଗତକାଲି କ୍ରାଇମ୍ବ୍ରାଞ୍ଚ ଟିମ୍ ସହ ଏସପି ଅନିରୁଦ୍ଧ ରାଉତରାୟ ଓ ଜଣେ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚି ତଦନ୍ତର ସମୀକ୍ଷା କରିଥିଲେ। ଦୁଇଟି ଅଲଗା ଟିମ୍ ଏହି ଘଟଣାରେ ତଦନ୍ତ ଚାଲାଇଛନ୍ତି। ଗୋଟିଏ ଟିମ୍ ଥାନାରେ ପହଞ୍ଚି ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବାବେଳେ ଅନ୍ୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି।



