ବିଜେପିରେ ବଡ଼ ସାଂଗଠନିକ ଅଦଳବଦଳ, ବୈଜୟନ୍ତଙ୍କୁ ମହାରାଷ୍ଟ୍ର; ପୂରନ୍ଦେଶ୍ୱରୀଙ୍କୁ ଓଡ଼ିଶା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ବଡ଼ ଧରଣର ସାଂଗଠନିକ ଅଦଳବଦଳ ହୋଇଛି। ଦଳ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଏବଂ ସହପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପକ୍ଷରୁ ଜାରି ତାଲିକାରେ ଅନେକ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।
ନୂଆ ନିଯୁକ୍ତି ଅନୁଯାୟୀ, ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା ଓଡ଼ିଶାର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ର ପ୍ରଭାରୀ ଦାୟିତ୍ୱ ମିଳିଛି। ଡି. ପୂରନ୍ଦେଶ୍ୱରୀଙ୍କୁ ଓଡ଼ିଶାର ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି। ଏହା ସହ ରାଜ୍ୟ ସଂଗଠନର ଦାୟିତ୍ୱରେ ମଧ୍ୟ ନୂଆ ସମୀକରଣ ସାମ୍ନାକୁ ଆସିଛି।
ହରିଶ ଦ୍ୱିବେଦୀଙ୍କୁ ବିହାର ଓ କର୍ଣ୍ଣାଟକ, ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣା, ବିନୟ ସହସ୍ରବୁଦ୍ଧେଙ୍କୁ ଦିଲ୍ଲୀ ଏବଂ ତରୁଣ ଚୁଗ୍ଙ୍କୁ ଗୁଜରାଟର ପ୍ରଭାରୀ କରାଯାଇଛି। ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶ ଏବଂ ରାମ ମାଧବଙ୍କୁ ତାମିଲନାଡୁ ଓ ଉତ୍ତରାଖଣ୍ଡର ଦାୟିତ୍ୱ ମିଳିଛି।
ଉତ୍ତରପ୍ରଦେଶ ପାଇଁ ବିନୋଦ ତାୱଡେଙ୍କୁ ପ୍ରଭାରୀ କରାଯାଇଥିବା ବେଳେ ଜଗଦୀଶ ପଟେଲ, ମେଘା କୁଲକର୍ଣ୍ଣୀ, ଡ. ପ୍ରଦୀପ ବର୍ମା ଏବଂ ଅନନ୍ତ ଓଝାଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସୁନୀଲ ବଂଶଲଙ୍କୁ ତେଲଙ୍ଗାନା ଓ ପଶ୍ଚିମବଙ୍ଗ ଏବଂ ସତୀଶ ପୁନିଆଙ୍କୁ ପଞ୍ଜାବ ଓ ଜାମ୍ମୁ-କଶ୍ମୀରର ଦାୟିତ୍ୱ ଦିଆଯାଇଛି।
ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ ପାଇଁ ଡ. ଅରବିନ୍ଦ ଭଦୋରିଆ, ଆସାମ ପାଇଁ ମଙ୍ଗଲ ପାଣ୍ଡେ, ଝାଡ଼ଖଣ୍ଡ ପାଇଁ ଗଜେନ୍ଦ୍ର ପଟେଲ, କେରଳ ପାଇଁ ଏମ୍. ନାଗରାଜ, ମଧ୍ୟପ୍ରଦେଶ ପାଇଁ ବିପ୍ଳବ କୁମାର ଦେବ ଏବଂ ରାଜସ୍ଥାନ ପାଇଁ ସଞ୍ଜୟ ଭାଟିଆଙ୍କୁ ପ୍ରଭାରୀ କରାଯାଇଛି।
ମିଜୋରାମରେ ଭଗବତ କରାଡ଼, ନାଗାଲାଣ୍ଡରେ ଅନିଲ ଆଣ୍ଟୋନି, ପୁଡୁଚେରୀରେ କେ. ସୁରେନ୍ଦ୍ରନ, ସିକ୍କିମରେ ରାଜୁ ବିସ୍ତା ଏବଂ ତ୍ରିପୁରାରେ ଏମ୍. ଦେବବର୍ମନଙ୍କୁ ଦାୟିତ୍ୱ ମିଳିଛି। ମଣିପୁରରେ ରାଜଦୀପ ରାୟ ଓ ମେଘାଳୟରେ କନାଦ ପୁରକାୟସ୍ଥଙ୍କୁ ପ୍ରଭାରୀ କରାଯାଇଛି।
ନୂଆ ନିଯୁକ୍ତି ମାଧ୍ୟମରେ ରାଜ୍ୟସ୍ତରରେ ଦଳୀୟ ସଂଗଠନ ଓ ନେତୃତ୍ୱ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ସାଂଗଠନିକ କାର୍ଯ୍ୟକୁ ଅଧିକ ସୁସଂଗଠିତ କରିବା ଉପରେ ଦଳ ଗୁରୁତ୍ୱ ଦେଇଥିବା ତାଲିକାରୁ ସ୍ପଷ୍ଟ ହୋଇଛି।



