
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପ୍ରଭାବ ଆପଣଙ୍କ ପକେଟ୍ ଉପରେ ମଧ୍ୟ ପଡିପାରେ। ରୁଷ-ୟୁକ୍ରେନ ଉତ୍ତେଜନା କାରଣରୁ ଗତ କିଛି ଦିନ ଅଶୋଧିତ ତୈଳ ଦର ବଢିବାରେ ଲାଗିଥିଲା। ତେବେ ଗୁରୁବାର ରୁଷ ୟୁକ୍ରେନ ଉପରେ ହମଲା କରିବା ମାତ୍ରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୩ ଅରବ ଡଲାରରେ ପହଞ୍ଚିଛି। ଗତ ଅଢେଇ ମାସ ଭିତରେ ତେଲ ଦାମ ୨୭ ପ୍ରତିଶତ ବୃଦ୍ଧି ଘଟି ସାରିଛି। ଏହି ଅଢେଇ ମାସରେ ସରକାରୀ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲ୍ ଦର ବଢାଇ ନାହାନ୍ତି। ତେବେ ଉତ୍ତର ପ୍ରଦେଶ ସହିତ ପାଞ୍ଚ ରାଜ୍ୟର ନିର୍ବାଚନ ସରିବା ମାତ୍ରେ ତେଲ ଦର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ତୈଳ ବଜାରରେ ବର୍ତ୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୩ ଡଲାର ରହିଛି। ଏହା ପୂର୍ବରୁ ୨୦୧୪ରେ ଅଶୋଧିତ ତୈଳ ଦାମ ବ୍ୟାରେଲ୍ ପିଛା ୧୦୦ ଅତିକ୍ରମ କରିଥିଲା। ଘରୋଇ ତୈଳ କମ୍ପାନୀ ନଭେମ୍ବର ୩ରୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ କରି ନାହାନ୍ତି।
କିନ୍ତୁ ସେହି ସମୟରୁ ଏ ପର୍ଯ୍ୟନ୍ତ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୨୦ ଡଲାର ଅଧିକ ମହଙ୍ଗା ହୋଇ ସାରିଛି। ଯଦି ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଲମ୍ବା ଚାଲେ ତେବେ ତେଲ ଦାମ ବ୍ୟାରେଲ୍ ପିଛା ୧୨୦ ଡଲାର ହୋଇପାରେ। ଏମିତି ହେଲେ ଘରୋଇ ତୈଳ କମ୍ପାନୀ ଡିଜେଲ୍ ଏବଂ ପେଟ୍ରୋଲ ଦର ଲିଟର ପିଛା ୧୫ ଟଙ୍କା ବଢାଇ ପାରନ୍ତି। ଏପରି ମଧ୍ୟ ହୋଇପାରେ ଦର ବୃଦ୍ଧି ଏକା ବେଳେ ନହୋଇ ଦୁଇ ତିନି ପର୍ଯ୍ୟାୟରେ ହେବ। ଗ୍ୟାସ୍ ଦାମ ମଧ୍ୟ ବଢିପାରେ। ଏହି କାରଣରୁ ଆଗାମୀ ଦିନରେ ଏଲପିଜି ଏବଂ ସିଏନଜି ଦାମ ୧୦ ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବଢିପାରେ। ବିଶେଷ କରି ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ପେଟ୍ରୋଲ-ଡିଜେଲ୍ ଦାମ୍ ବୃଦ୍ଧି ଘଟିପାରେ।