ଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଗୁଜରାଟ ଝୁଲାପୋଲ ଦୁର୍ଘଟଣା ପଛରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଅହମ୍ମଦାବାଦ: ଗୁଜୁରାଟର ମୋର୍ବିରେ ଗତକାଲି ଘଟିଥିବା ଭୟଙ୍କର ଝୁଲାପୋଲ ଦୁର୍ଘଟଣା ପଛରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଝୁଲା ପୋଲଟି ଧାର୍ଯ୍ୟ ସମୟ ଆଗରୁ ଖୋଲାଯାଇଥିବା ଜଣାପଡ଼ିଛି। ସେହିପରି ଝୁଲାପୋଲକୁ ନବୀକରଣ ଲାଗି ନେଇଥିବା ନିର୍ମାଣକାରୀ କମ୍ପାନୀ ମଧ୍ୟ ସର୍ବସାଧାଣଙ୍କ ପାଇଁ ଖୋଲିବା ପୂର୍ବରୁ ଫିଟନେସ ସାର୍ଟିଫିକେଟ ପାଇ ନାହିଁ। ଏମିତି ଅନେକ ଯାବତୀୟ ଅନିୟମିତତା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଝୁଲାପୋଲର ଉନ୍ନତିକରଣ ପାଇଁ ନେଇଥିବା  ଅଜନ୍ତା ପ୍ରାଇଭେଟ ଲିମିଟେଡ୍‌ ପୋଲ ଖୋଲିବା ପୂର୍ବରୁ ମୋର୍ବି ମ୍ୟୁନ୍ସିପାଲଟି ପକ୍ଷରୁ ଫିଟନେସ ପ୍ରମାଣପତ୍ର ପାଇ ନାହିଁ। କମ୍ପାନୀ ସହ ଚୁକ୍ତି ଅନୁଯାୟୀ, ଏହି ଝୁଲାପୋଲଟିର ମରାମତି ପାଇଁ ୧୨ ମାସ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ୭ ମାସରେ ଅର୍ଥାତ ଗତ ଅକ୍ଟୋବର  ୨୬ ତାରିଖରେ ପୋଲଟିକୁ ଖୋଲାଯାଇଥିଲା। ଏହି ଦିନ ଗୁଜୁରାଟି ନୂତନ ବର୍ଷ ପାଳନ କରାଯାଏ। ଅଜନ୍ତା ପ୍ରାଇଭେଟ ଲିମିଟେଡ୍‌ ସହ ଜଡ଼ିତ ଓରେଭା ଟ୍ରଷ୍ଟ ବ୍ୟକ୍ତି ପିଛା ୧୭ ଟଙ୍କା ଟିକେଟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସମସ୍ତ ସୁରକ୍ଷାର ଭଙ୍ଗ କରାଯାଇଥିଲା। ଝୁଲାପୋଲରେ ପ୍ରାୟ ଏକାଥରେ ୫୦୦ଲୋକ ଥିଲେ। ସେତୁ ଉପରେ ପ୍ରବଳ ଲୋକେ ଥିଲେ। କିଛି ଲୋକେ ଏହି ଝୁଲା ପୋଲକୁ ମଧ୍ୟ ଦୋହଲାଇଥିଲେ। ଅଜନ୍ତା ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀ ଏହି ଝୁଲାପୋଲର ଟିକେଟ୍ ଆକାରରେ ଦେୟ ସଂଗ୍ରହ କରିବା ପାଇଁ ମୋର୍ବି ମ୍ୟୁନିସିପାଲିଟି ସଂସ୍ଥା ସହିତ ୧୫ ବର୍ଷ ଚୁକ୍ତି ସ୍ୱାକ୍ଷର କରିଛି।  ୨୦୨୦ଜାନୁଆରୀରେ ଏହି ଚୁକ୍ତିନାମା ଉପରେ ଆଲୋଚନା କରାଯାଇଥିଲା ଏବଂ ଏହି ବର୍ଷ ମାର୍ଚ୍ଚରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୨୦୩୭ପର୍ଯ୍ୟନ୍ତ ବୈଧ ଥିବା ଚୁକ୍ତିନାମା ଅନୁଯାୟୀ କମ୍ପାନୀ ପ୍ରତିବର୍ଷ ଟିକେଟ୍ ମୂଲ୍ୟ ବୃଦ୍ଧି କରିବ। ତେବେ କୌଣସି ସରକାରୀ ଅନୁମୋଦନ ବିନା ଏହି ସେତୁ କିପରି ଲୋକଙ୍କ ପାଇଁ ଖୋଲାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, ଗୁଜରାଟର ମୋର୍ବିରେ ବ୍ରିଟିସ ଅମଳର ଝୁଲାପୋଲ ଛିଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୧୪୧ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି । ଏବେ ବି ଅନେକ ଲୋକ ଦୁର୍ଘଟଣାସ୍ଥଳରେ ନିଖୋଜ ରହିଥିବା ଜଣାପଡ଼ିଛି ।

Show More

Related Articles

Back to top button