୬ ରବି ଫସଲର ଏମଏସପି ବୃଦ୍ଧି, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ୨୦୨୭-୨୮ ମାର୍କେଟିଂ ସିଜନ୍ ପାଇଁ ୬ଟି ରବି ଫସଲର ନ୍ୟୂନତମ ସହାୟକ ମୂଲ୍ୟ (ଏମଏସପି) ବଢ଼ାଇଛି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ସହ ଗ୍ରୀନ୍ ଏନର୍ଜି କରିଡର ଫେଜ୍-୩କୁ ମଧ୍ୟ ଅନୁମୋଦନ ମିଳିଛି।
ନୂଆ ଏମଏସପି ଅନୁଯାୟୀ, ଗହମର ଦର କ୍ୱିଣ୍ଟାଲ ପିଛା ୨୫ ଟଙ୍କା ବଢ଼ି ୨,୬୧୦ ଟଙ୍କା ହୋଇଛି। ବାର୍ଲିରେ ୧୩୬ ଟଙ୍କା ବୃଦ୍ଧି ପରେ ଦର ୨,୨୮୬ ଟଙ୍କା, ଚଣା ୮୩ ଟଙ୍କା ବୃଦ୍ଧି ପରେ ୫,୯୫୮ ଟଙ୍କା ଏବଂ ମସୁର ୩୯୦ ଟଙ୍କା ବଢ଼ି ୭,୩୯୦ ଟଙ୍କା ହୋଇଛି। ସେହିପରି ସୋରିଷର ଏମଏସପି ୪୧୩ ଟଙ୍କା ବଢ଼ି ୬,୬୧୩ ଟଙ୍କା ଏବଂ କୁସୁମରେ ସର୍ବାଧିକ ୬୭୫ ଟଙ୍କା ବୃଦ୍ଧି ହୋଇ ୭,୨୧୫ ଟଙ୍କା ହୋଇଛି।
କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ପାଦନ ଖର୍ଚ୍ଚର ଅତି କମ୍ରେ ୧.୫ ଗୁଣ ଏମଏସପି ଦେବା ନୀତି ଅନୁସାରେ ଏହି ଦର ନିର୍ଦ୍ଧାରଣ କରାଯାଇଛି। ଏହା ସହିତ ଗ୍ରୀନ୍ ଏନର୍ଜି କରିଡର ଫେଜ୍-୩ ଅଧୀନରେ ୧୩୫ ଗିଗାୱାଟ୍ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତିକୁ ଗ୍ରିଡ୍ରେ ସାମିଲ କରିବା ପାଇଁ ଟ୍ରାନ୍ସମିସନ୍ ବ୍ୟବସ୍ଥା ବିକଶିତ ହେବ।
ଏହି ପ୍ରକଳ୍ପରେ ୫୦ ଗିଗାୱାଟ୍-ଘଣ୍ଟା ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ବ୍ୟବସ୍ଥା ରହିବ। ମୋଟ ୧.୮୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବାକୁ ଥିବାବେଳେ କେନ୍ଦ୍ର ୫୪,୦୮୨ କୋଟି ଟଙ୍କା ଆର୍ଥିକ ସହାୟତା ଦେବ। ୨୦୩୨-୩୩ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି।



