ଅସ୍ତ୍ର ବିରତ ସତ୍ତ୍ୱେ ଆକ୍ରମଣ ଜାରି

ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା ହୋଇଛି। ମଙ୍ଗଳବାର ବିଲମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ଏହି ଅସ୍ତ୍ରବିରତି ପାଇଁ ସମ୍ମତି ପ୍ରକାଶ ପାଇଛି। ଏହି ଅସ୍ତ୍ରବିରତି ସହିତ ଇରାନ ଆନ୍ତର୍ଜାତିକ ବାଣିଜ୍ୟ କାରବାର ପାଇଁ ବନ୍ଦ ରଖିଥିବା ହର୍ମୁଜ ପ୍ରଣାଳୀକୁ ଖୋଲିଥିଲା। ମାତ୍ର କିଛି ଘଣ୍ଟା ପରେ ଇରାନ ଏହାକୁ ବନ୍ଦ କରିଥିବା ସୂଚନା ମିଳିଛି।
ଇରାନ-ଆମେରିକା ଦୁଇ ସପ୍ତାହର ଅସ୍ତ୍ର ବିରତି ଘୋଷଣା ପରେ ମଧ୍ୟ ଇସ୍ରାଏଲ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛି। ଲେବାନନ ଉପରେ ଇସ୍ରାଏଲ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ୮୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ଉତ୍କ୍ଷିପ୍ତ ଇରାନ ହର୍ମୁଜ ପ୍ରଣାଳୀରେ ପଣ୍ୟ କାରବାରକୁ ରୋକିଛି। ବିନା ଅନୁମତିରେ ଯିଏ ଏହି ପ୍ରଣାଳୀରେ ପ୍ରବେଶ କରିବ ତାକୁ ଉଡ଼ାଇ ଦେବୁ ବୋଲି ଇରାନର ଚେତାବନୀ ନୂଆ ସଙ୍କଟ ସୃଷ୍ଟି କରିଛି। ଏପରିକି ଆମେରିକୀୟ ମିତ୍ର ଉପସାଗରୀୟ ରାଷ୍ଟ୍ର ୟୁଏଇ, ବାହାରିନ ଓ କୁଏତ ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ। ଅନ୍ୟପକ୍ଷରେ ଇରାନକୁ ସହଯୋଗ କରୁଥିବା ରାଷ୍ଟ୍ରଗୁଡ଼ିଙ୍କୁ ଚେତାବନୀ ଦେଇଛି ଆମେରିକା। ଇରାନକୁ ଅସ୍ତ୍ରଶସ୍ତ୍ର ସହାୟତା କଲେ ଆମେରିକା ସେମାନଙ୍କ ଉପରେ ୫୦ପ୍ରତିଶତ ଶୁଳ୍କ ଲଗାଇବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି। ଫଳରେ ସକାଳେ ଦୁଇ ସପ୍ତାହ ଧରି ଆମେରିକା ଓ ଇରାନ ମଧ୍ୟରେ ଯେଉଁ ଯୁଦ୍ଧ ବିରତି ଘୋଷଣା ହୋଇଥିଲା ତାହାକୁ ଧକ୍କା ଲାଗିଛି।



