
ଦେଶରେ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ଜୁନ୍ ମାସରୁ ସୀମା ନିର୍ଦ୍ଧାରଣ କମିଶନ ଗଠନ ହେବା ସହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଆସନ୍ତା ୨୦୨୯ରେ ପ୍ରସ୍ତାବିତ ‘ଏକ ଦେଶ, ଏକ ନିର୍ବାଚନ’କୁ ଲକ୍ଷ୍ୟରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଜନଗଣନା ରିପୋର୍ଟକୁ ଅପେକ୍ଷା ନ କରି ସମସ୍ତ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟାକୁ ହାରାହାରି ୫୦ ଶତାଂଶ ବୃଦ୍ଧି କରିବା ପାଇଁ ଯୋଜନା ହେଉଛି।
ବିଶ୍ୱସ୍ତ ସୂତ୍ର ଅନୁସାରେ, ଚଳିତ ସଂସଦ ଅଧିବେଶନରେ ସୀମା ନିର୍ଦ୍ଧାରଣ କମିଶନ ଆଇନରେ ସଂଶୋଧନ ପ୍ରସ୍ତାବ ଆଣାଯିବ। ସେହିପରି ମହିଳା ସଂରକ୍ଷଣ ଆଇନରେ ମଧ୍ୟ ପରିବର୍ତ୍ତନ କରାଯିବ, ଯାହା ୨୦୨୯ରୁ କାର୍ଯ୍ୟକାରୀ ହେବ।
ନୂତନ ବ୍ୟବସ୍ଥାଅନୁଯାୟୀ, ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ଶତାଂଶ ସଂରକ୍ଷଣ ରହିବ। ଏହାସହିତ ଅନୁସୂଚୀତ ଜାତି ଓ ଜନଜାତି ଆସନରୁ ମଧ୍ୟ ୩୩ ଶତାଂଶ ଆସନ ସେହି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ହେବ।
ଏହି ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ୧୪୭ରୁ ବଢ଼ି ପ୍ରାୟ ୨୧୦ ପହଞ୍ଚିପାରେ। ସେହିପରି ସଂସଦୀୟ କ୍ଷେତ୍ର ୨୧ରୁ ବଢ଼ି ପ୍ରାୟ ୩୦ରୁ ଅଧିକ ହେବାର ସମ୍ଭାବନା ରହିଛି।
ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ରାଜ୍ୟର ରାଜନୈତିକ ପରିଦୃଶ୍ୟରେ ବଡ଼ ପରିବର୍ତ୍ତନ ଆସିବାର ଆଶା କରାଯାଉଛି।



