ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ରାଜ୍ୟ CEO ଆର. ସନ୍ଥାନା ଗୋପାଳନ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍ର ଏହି ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ବ୍ୟକ୍ତିଗତ ଓ ସ୍ୱାସ୍ଥ୍ୟଗତ କାରଣରୁ VRS ନେବାକୁ ଚାହୁଁଥିବା କହିଛନ୍ତି। ତାଙ୍କ ଆବେଦନ ଉପରେ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏ ହୋଇନାହିଁ।
ଜୁଲାଇ ୨୦୨୪ରୁ ଗୋପାଳନ୍ ଓଡ଼ିଶାର CEO ଭାବେ କାର୍ଯ୍ୟ କରୁଥିବା ବେଳେ ଅବକାରୀ ବିଭାଗ ସଚିବଙ୍କ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ତାଙ୍କ ଚାକିରି ସମୟସୀମା ଜୁନ୍ ୨୦୨୮ ପର୍ଯ୍ୟନ୍ତ ଥିବାରୁ VRS ଆବେଦନ ନିର୍ଦ୍ଧାରିତ ଅବସରର ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ଆସିଛି।
ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଶେଷ ହେବାର କିଛି ଦିନ ପରେ ଗୋପାଳନ୍ଙ୍କ VRS ଆବେଦନ ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲା। ଏଥିରେ ମୋଟ ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ ଜଣ ଭୋଟର ରହିଛନ୍ତି। SIR ପରେ ପ୍ରାୟ ୨୦ ଲକ୍ଷ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି।
ତେବେ ନିଜ VRS ନିଷ୍ପତ୍ତିକୁ SIR ସହ ଯୋଡ଼ିବା ଠିକ୍ ନୁହେଁ ବୋଲି ଗୋପାଳନ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, କିଛି ମାସ ଧରି ଚାକିରି ଛାଡ଼ିବା ବିଷୟରେ ଚିନ୍ତା କରୁଥିଲେ ଏବଂ SIR ପ୍ରକ୍ରିୟା ସୁରୁଖୁରୁରେ ଶେଷ ହେବା ସହ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଆବେଦନ କରିଛନ୍ତି।
ପ୍ରାୟ ୨୫ ବର୍ଷର ପ୍ରଶାସନିକ କ୍ୟାରିୟରରେ ଗୋପାଳନ୍ UIDAIର ଡେପୁଟି ଡାଇରେକ୍ଟର ଜେନେରାଲ, ଶ୍ରମ ବିଭାଗ ସଚିବ ଓ କୃଷି ନିର୍ଦ୍ଦେଶକ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି।



