ବର୍ଷା ପୂର୍ବରୁ ସତର୍କ ଓଡ଼ିଶା; ୩୩ ଓଡ୍ରାଫ୍ ଟିମ୍ ମୁତୟନ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତକୁ ନେଇ ଓଡ଼ିଶାରେ ପ୍ରସ୍ତୁତି ଜୋରଦାର ହୋଇଛି। ଅବପାତଟି ବୁଧବାର ରାତିରେ କଳିଙ୍ଗପଟ୍ଟଣମ୍ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିସ୍ଥିତିର ସମୀକ୍ଷା କରି ‘ଶୂନ୍ୟ ମୃତ୍ୟୁ’ ଲକ୍ଷ୍ୟରେ ସମସ୍ତ ବିଭାଗକୁ ସମନ୍ୱୟରେ କାମ କରିବାକୁ କହିଛନ୍ତି। ଜଳବନ୍ଦୀ ଅଞ୍ଚଳରୁ ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ସହ ରିଲିଫ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।
ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିରରେ ଟିମ୍ ମୁତୟନ ସହ ଅତିରିକ୍ତ ଦଳକୁ ଚତ୍ରପୁରରେ ପ୍ରସ୍ତୁତ ରଖାଯାଇଛି।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ନଦୀ ଓ ନାଳାରେ ଜଳସ୍ତର ବୃଦ୍ଧି, ଆକସ୍ମିକ ବନ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଗୁଡ଼ିକୁ ଆଶ୍ରୟସ୍ଥଳ, ଖାଦ୍ୟ, ପାନୀୟ ଜଳ ଓ ଉଦ୍ଧାର ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ୫୫ରୁ ୬୫ କିମି ପ୍ରତିଘଣ୍ଟା ଏବଂ ଝଟକା ପବନ ୭୫ କିମି ପ୍ରତିଘଣ୍ଟା ଯାଏଁ ପହଞ୍ଚିପାରେ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି।



